ଅର୍ଗସ ବ୍ୟୁରୋ: ଆମେରିକା ନିର୍ବାଚନରେ ଏଥର ବାଜି ମାରିବ କିଏ ? ମଇଦାନରେ ଅଛନ୍ତି ଦୁଇ ପ୍ରାର୍ଥୀ ଟ୍ରମ୍ପ ଓ ହାରିସ । ଉଭୟଙ୍କ ମଧ୍ୟରେ ଜୋରଦାର ଫାଇଟ୍ ବି ହେଉଛି । କିନ୍ତୁ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହାକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ପାଇବ ନା ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କ୍ଷମତାକୁ ଫେରିବେ? ତାହା ଉପରେ ସମସ୍ତଙ୍କ ନଜର ରହିଛି । ପରମ୍ପରା ଅନୁଯାୟୀ ନବ ନିର୍ବାଚିତ ରାଷ୍ଟ୍ରପତି ଆସନ୍ତାବର୍ଷ ଜାନୁଆରୀ ୨୦ରେ ଶପଥ ନେବେ । କିନ୍ତୁ ଆମେରିକାର ରାଷ୍ଟ୍ରପତି ସହ ତାଙ୍କ ଦରମାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।
ବିଶ୍ଵର ସର୍ବବୃହତ୍ତ ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଆମେରିକା । ଭାରତରେ ଯେଉଁପରି ଭାବରେ ପ୍ରଧାନମନ୍ତ୍ରୀ ଦେଶର ସବୁ ଭଲମନ୍ଦ କଥା ବୁଝନ୍ତି ଠିକ୍ ଆମେରିକାର ରାଷ୍ଟ୍ରପତି ଆମେରିକାର ସବୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି । ତେଣୁ ମୋଟା ଅଙ୍କର ଦରମା ମିଳେ ତାଙ୍କୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଦେଶର ସରକାରୀ ରାଜକୋଷରୁ ଦରମା ଦିଆଯାଏ । ଆମେରିକୀୟ ରାଷ୍ଟ୍ରପତିଙ୍କ ଦରମା ସାଧାରଣ ଦେଶବାସୀଙ୍କ ତୁଳନାରେ ୬ ଗୁଣ ଅଧିକ । ଅର୍ଥାତ ୬୩ ହଜାର ୭୯୫ ଡଲାର ଯାହା କି ଭାରତୀୟ ମୁଦ୍ରାରେ ପ୍ରାୟ ୫୩ ଲକ୍ଷ ଟଙ୍କା । ଆମେରିକାର ଶୀର୍ଷ ଧନୀମାନେ ବାର୍ଷିକ ହାରାହାରି ୭ଲକ୍ଷ ୮୮ ହଜାର ଡଲାର ରୋଜଗାର କରନ୍ତି, ଅର୍ଥାତ୍ ପ୍ରାୟ ୬ କୋଟି ୨୮ ଲକ୍ଷ ଟଙ୍କା, କିନ୍ତୁ ଆମେରିକୀୟ ରାଷ୍ଟ୍ରପତିଙ୍କ ଦରମା ଏହାର ଅଧା । ଏହି କାରଣରୁ ସେ ଦେଶର ଶ୍ରେଷ୍ଠ ୧% ଧନୀମାନଙ୍କ ମଧ୍ୟରେ ମଧ୍ୟ ରହନ୍ତି ନାହିଁ ।
ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଅଛନ୍ତି ଜୋ ବାଇଡେନ୍ । ଆଉ ତାଙ୍କର ବାର୍ଷିକ ଦରମା ୪ ଲକ୍ଷ ଡଲାର ଅର୍ଥାତ୍ ୩.୩୬ କୋଟି ଟଙ୍କା । ଏହା ବ୍ୟତୀତ ରାଷ୍ଟ୍ରପତି ଅତିରିକ୍ତ ଖର୍ଚ୍ଚ ବାବଦରେ ୫୦ ହଜାର ଡଲାର ଅର୍ଥାତ୍ ୪୨ ଲକ୍ଷ ଟଙ୍କା ପାଆନ୍ତି । ୱାଶିଂଟନ୍ ଡିସିରେ ଥିବା ହ୍ୱାଇଟ ହାଉସ୍ ହେଉଛି ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ । ଏଠାରେ ରହିବାକୁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଯେତେବେଳେ ରାଷ୍ଟ୍ରପତି ପ୍ରଥମ ଥର ହ୍ୱାଇଟ ହାଉସରେ ପ୍ରବେଶ କରନ୍ତି, ସେତେବେଳେ ତାଙ୍କୁ ଏକ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟ ୮୪ ଲକ୍ଷ ଟଙ୍କା ଦିଆଯାଏ । ଏହି ଅର୍ଥରେ ସେମାନେ ନିଜ ଇଚ୍ଛାରେ ଘରର ସାଜସଜ୍ଜା କରିପାରିବେ ବୋଲି କୁହାଯାଏ ।
ହ୍ଵାଇଟ୍ ହାଉସ୍ରେ ପ୍ରବେଶ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ଅନେକ ପ୍ରକାର ସରକାରୀ ସୁବିଧା ମିଳେ । ମନୋରଞ୍ଜନ, କର୍ମଚାରୀ ଏବଂ ରୋଷେଇ ପାଇଁ ବାର୍ଷିକ ୧୯ହଜାର ଡଲାର୍ ଅର୍ଥାତ୍ ପ୍ରାୟ ୬୦ ଲକ୍ଷ ଟଙ୍କା ମିଳୁଥିବା ବେଳେ ସବୁ ସ୍ୱାସ୍ଥ୍ୟ ସେବା ବି ମାଗଣା ମିଳେ । ଖାଲି ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ଏକ ଲିମୋଜାଇନ୍ କାର୍, ସାମୁଦ୍ରିକ ହେଲିକପ୍ଟର ଏବଂ ଏୟାରଫୋର୍ସ ୱାନ୍ ନାମକ ଏକ ବିମାନ ଦିଆଯାଇଥାଏ । ଏହାସହ ବାୟୁସେନା ଏକ ବିମାନରେ ପ୍ରାୟ ଚାରି ହଜାର ବର୍ଗଫୁଟ ସ୍ଥାନ ରହିଛି । ଏହା 'ଫ୍ଲାଇଂ ହ୍ୱାଇଟ୍ ହାଉସ୍' ଭାବରେ ମଧ୍ୟ ଜଣାଶୁଣା। ରାଷ୍ଟ୍ରପତିଙ୍କ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ଏଥିରେ ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି । ରାଷ୍ଟ୍ରପତିଙ୍କ ବ୍ୟତୀତ ବାୟୁସେନା ୱାନରେ ପ୍ରାୟ ୧୦୦ କର୍ମଚାରୀଙ୍କ ପାଇଁ ଯାତ୍ରା ବ୍ୟବସ୍ଥା ମଧ୍ୟ ରହିଛି । ଆଣ୍ଡ୍ରିୟୁ ବାୟୁସେନା ବେସରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଭରନ୍ତି ଆମେରିକା ରାଷ୍ଟ୍ରପତି ।
ବିଶ୍ଵର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହେବା ପରେ ବି ଆମେରିକା ରାଷ୍ଟ୍ରପତିଙ୍କ ପ୍ରତିବର୍ଷ ଦରମା ବଢେ ନାହିଁ । ୨୦୦୧ ମସିହାରୁ ଆମେରିକାର ରାଷ୍ଟ୍ରପତିଙ୍କ ଦରମାରେ କୌଣସି ବୃଦ୍ଧି ହୋଇନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୦୧ରେ ଜର୍ଜ ଡବ୍ଲୁ ବୁଶ କାର୍ଯ୍ୟଭାର ଗ୍ରହଣ କରିଥିବା ସମୟରେ ଦରମା ବୃଦ୍ଧି କରାଯାଇଥିଲା । ଜର୍ଜ ୱାଶିଂଟନ୍ ଆମେରିକାର ପ୍ରଥମ ରାଷ୍ଟ୍ରପତି ଥିଲେ। ତାଙ୍କୁ ବାର୍ଷିକ ୨୦୦୦ ଡଲାର ଦରମା ମିଳୁଥିଲା । ସେତେବେଳେ ଏହା ଖୁବ୍ ଅଧିକ ଥିଲା । ଡୋନାଲ୍ଡ ଟ୍ରମ୍ପ, ଜନ୍ ଏଫ୍ କେନେଡି ଏବଂ ହର୍ବର୍ଟ ହୁଭରଙ୍କ ପରି ଧନୀ ଆମେରିକୀୟ ରାଷ୍ଟ୍ରପତିମାନେ ବାର୍ଷିକ ଦରମା ଦାନ କରୁଥିଲେ । ତେବେ ଏ ସବୁ ସୁବିଧା ଏଥର କାହାକୁ ମିଳୁଛି ତାହାକୁ ଅପେକ୍ଷା ।